ଜୟପୁର: ଡବଲ ଇଞ୍ଜିନ ସରକାରଙ୍କ ବଡ଼ ସଫଳତା । ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ମିଳିଲା ଦୀପାବଳି ଭେଟି। ମାତ୍ର ୬ ମାସରେ ଜୟପୁର – ନବରଙ୍ଗପୁର ରେଳପଥ ପାଇଁ ୫୦୦ ଏକର ଜମି ଅଧିଗ୍ରହଣ ହୋଇ ରେଳବିଭାଗକୁ ହସ୍ତାନ୍ତର ହେଲା । ଶେଷ ପର୍ଯ୍ୟାୟରେ ଆଜି ୧୦୭ ଏକର ଜମି ହସ୍ତାନ୍ତର ହୋଇଛି। ଆସନ୍ତା ମାସରେ ଟେଣ୍ଡର ଚୂଡ଼ାନ୍ତ ପରେ ଆସନ୍ତା ବର୍ଷ ଜାନୁଆରୀ ମାସରୁ ରେଳପଥ ନିର୍ମାଣ କାମ ଆରମ୍ଭ ହେବ ।
ସରିଲା ଜୟପୁର -ନବରଙ୍ଗପୁର ରେଳ ପଥ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା। ଆସନ୍ତା ବର୍ଷ ଆରମ୍ଭରୁ ହେବ ରେଳପଥ ନିର୍ମାଣ କାମ । ଶେଷ ପର୍ଯ୍ୟାୟରେ ଜୟପୁର ବ୍ଳକ ଅନ୍ତର୍ଗତ ଜୟନ୍ତଗିରିରେ ୧୦୭ ଏକର ଜମି ରେଳ ବିଭାଗକୁ ହସ୍ତାନ୍ତର କଲା ଜୟପୁର ତହସିଲ। ଆସନ୍ତା ୪ରୁ ୫ବର୍ଷ ମଧ୍ୟରେ ରେଳ ପଥ କାମ ଶେଷ ହେବା ନେଇ ରେଳ ବିଭାଗ ତରଫରୁ ସୂଚନ ଦିଆଯାଇଛି। ରେଳପଥ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ ବି ହୋଇ ସାରିଲାଣି। ଆସନ୍ତା ମାସରେ ଏହା ଚୁଡାନ୍ତ ହେବ।
ନବରଙ୍ଗପୁର ଜିଲ୍ଲାର ୬ଟି ପଞ୍ଚାୟତରୁ ୫ଟି, ବୋରିଗୁମ୍ମାର ୧୩ ପଞ୍ଚାୟତରୁ ୧୩ଟି ଏବଂ ଜୟପୁରର ୮ଟି ପଞ୍ଚାୟତରୁ ୬ଟି ପଞ୍ଚାୟତରୁ ଜମି ଶତ ପ୍ରତିଶତ ଅଧିଗ୍ରହଣ ହୋଇ ରେଳ ବିଭାଗକୁ ହସ୍ତାନ୍ତର ହୋଇଛି। ମୋଟ ୯୦ ପ୍ରତିଶତ ଜମି ହସ୍ତାନ୍ତର ହୋଇଥିବାରୁ ରେଳପଥ ନିର୍ମାଣ ନେଇ ପଥ ପରିସ୍କାର ହୋଇଛି। ଯେଉଁ ୩ଟି ପଞ୍ଚାୟତରୁ ଜମି ବିରୋଧ କାରଣରୁ ହସ୍ତାନ୍ତର ହୋଇ ନାହିଁ ସେଠାରେ ସିଭିଲ ଡିପୋଜିଟ କରି ଜମି ଅଧିଗ୍ରହଣ ହେବ ବୋଲି କହିଛନ୍ତି ଜୟପୁର ତହସିଲଦାର ତଥା ନୋଡାଲ ଅଫିସର।
ଏହି ରେଳପଥ ନିର୍ମାଣ ପାଇଁ ନବରଙ୍ଗପୁର ଜିଲ୍ଲାବାସୀ ଦୀର୍ଘ ବର୍ଷ ହେବ ଦାବି କରି ଆସୁଥିଲେ। ପୂର୍ବ ସରକାର ଅମଳରେ ଜମି ଅଧିଗ୍ରହଣ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଥିଲା। ତେଣୁ ୧୦ ବର୍ଷ ମଧ୍ୟରେ ଇଞ୍ଚେ ବି ଜମି ଅଧିଗ୍ରହଣ ହୋଇନଥିଲା କିନ୍ତୁ ଡବଲ ଇଞ୍ଜିନ ସରକାର ସମୟରେ ମାତ୍ର ୬ ମାସ ମଧ୍ୟରେ ୫୦୦ ଏକର ଜମି ଅଧିଗ୍ରହଣ ହୋଇଛି। ଏହାକୁ ନେଇ ନବରଙ୍ଗପୁର ଜିଲ୍ଲାବାସୀଙ୍କ ମଧ୍ୟରେ ଏବେ ଖୁସି ଖେଳିଯାଇଛି। ଡବଲ ଇଂଜିନ ସରକାର କଥା ଦେଇ କଥା ରଖିଲେ ବୋଲି କହିଛନ୍ତି ନବରଙ୍ଗପୁର ବାସିନ୍ଦା।
ସ୍ବାଧୀନତାର ଆଠ ଦଶନ୍ଧି ପରେ ବି ନବରଙ୍ଗପୁର ଜିଲ୍ଲାରେ ରେଳପଥ ନିର୍ମାଣ ହୋଇ ପାରିନାହିଁ। ଏହାଠୁ ଆଉ ବିଡମ୍ବନାର ବିଷୟ କଣ ହୋଇପାରେ ? ତେବେ ଜମି ଅଧିଗ୍ରହଣ ଓ ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇଥିବାରୁ ଏବେ ସ୍ବପ୍ନ ବାସ୍ତବତାର ରୂପ ନେବାକୁ ଯାଉଛି।




